ଗୁଜରାଟର ଏକତା ନଗରସ୍ଥିତ ବିଶ୍ୱପ୍ରସିଦ୍ଧ 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ ସହ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ 'ବନ୍ଦେ ମାତରମ୍' ବିଷୟବସ୍ତୁକୁ ଆଧାର କରି ସ୍ୱତନ୍ତ୍ର ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଷ୍ଟ୍ରପତି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକତା ନଗରରେ ବିଭିନ୍ନ ଉତ୍ସବ, ସାଂସ୍କୃତିକ ପରିବେଷଣ ଓ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ପ୍ରାୟ ୫ ହଜାର କଳାକାରଙ୍କ ସାଂସ୍କୃତିକ ପରିବେଷଣ ସହ ନକ୍ସଲମୁକ୍ତ ଭାରତ ଉପରେ ସ୍ୱତନ୍ତ୍ର ପ୍ରଦର୍ଶନ ମଧ୍ୟ ଏହି ଆୟୋଜନର ଅନ୍ୟତମ ଆକର୍ଷଣ।
ଅନ୍ୟପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହର ସହ ପାଳିତ ହୋଇଛି। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଏକତାର ବାର୍ତ୍ତା ନେଇ ପଦଯାତ୍ରା ଆୟୋଜନ କରାଯାଇଥିଲା। କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ, କ୍ରୀଡ଼ାବିତ୍, ସମାଜସେବୀ ଓ ବିଶିଷ୍ଟ ନାଗରିକ ସାମିଲ ହୋଇ ଜାତୀୟ ଏକତାର ସନ୍ଦେଶ ଦେଇଥିଲେ।
ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରି ଦେଶର ଯୁବପିଢ଼ିଙ୍କୁ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଭାରତର ପ୍ରଗତି ଓ ଆତ୍ମନିର୍ଭରତାରେ ଯୁବଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ସାର୍ବଭୌମତ୍ୱ ଓ ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଯୁବପିଢ଼ି ଏକଜୁଟ ହୋଇ ରହିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ସର୍ଦ୍ଦାର ପଟେଲଙ୍କ ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଏବଂ ଅବଦାନକୁ ସ୍ମରଣ କରିବା ସହ ସେମାନଙ୍କ ଆଦର୍ଶକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।
ଭାରତର ଇତିହାସରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଅବିସ୍ମରଣୀୟ। ସ୍ୱାଧୀନତା ପରେ ଦେଶର ୫୬୦ରୁ ଅଧିକ ଦେଶୀୟ ରାଜ୍ୟକୁ ଭାରତୀୟ ସଂଘରେ ମିଶ୍ରଣ କରିବାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ। ତାଙ୍କର ଦୃଢ଼ ନେତୃତ୍ୱ, ଅସାଧାରଣ ରାଜନୈତିକ ଦୂରଦୃଷ୍ଟି ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଭାରତ ଏକ ସଂଘବଦ୍ଧ ରାଷ୍ଟ୍ର ଭାବେ ଗଢ଼ି ଉଠିବାରେ ସହାୟତା ମିଳିଥିଲା। ଏହି ଐତିହାସିକ ଅବଦାନ ପାଇଁ ତାଙ୍କୁ 'ଲୌହପୁରୁଷ' ଭାବେ ସମ୍ମାନିତ କରାଯାଏ।
୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୩୧କୁ 'ରାଷ୍ଟ୍ରୀୟ ଏକତା ଦିବସ' ଭାବେ ପାଳନ କରାଯାଉଛି। ଏହି ଦିନ କେବଳ ଜଣେ ମହାନ ନେତାଙ୍କ ଜୟନ୍ତୀ ନୁହେଁ, ବରଂ ଦେଶର ଏକତା, ଅଖଣ୍ଡତା ଓ ଜାତୀୟ ସଂହତି ପ୍ରତି ଆମର ଦାୟିତ୍ୱକୁ ପୁନର୍ବାର ମନେ ପକାଇବାର ଏକ ଅବସର। ତେଣୁ ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀରେ ତାଙ୍କ ଆଦର୍ଶକୁ ଅନୁସରଣ କରି ଏକ ସଶକ୍ତ, ଏକତାବଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପ ନେବାର ଆହ୍ୱାନ ଦିଆଯାଇଛି।

